Saturday, 18/May/2024 10:24
Mo Dhenkanal
ଗଳ୍ପ

ଅମାନିଆ ମୁଁ, ଗାଳ୍ପିକା-ପଲ୍ଲବୀ ଦାସ

ଆଜି ପୁଣି ବର୍ଷା ! ନିଧୁମ ବର୍ଷା ଛେଚୁଚି। ଏବେ କିଛି ଘଣ୍ଟା ପୂର୍ବରୁ ଆକାଶଟା ପୁରା ଫାଙ୍କା ଥିଲା ତା ରଙ୍ଗ ବି ଅଲଗା ଥିଲା, ଏବେ ସେ ରଙ୍ଗ ବଦଳେଇଛି। କେତେ ବେଳେ ଗର୍ଜନ କରି ଡରାଉଚି ତ କେତେ ବେଳେ ଚମକୁଚି। ବେଳେ ବେଳେ ଝରକା ଫାଙ୍କ ଦେଇ ଦଲକାଏ ଶୀତଳ ପବନ ବୋହି ଆସୁଛି। ଠିକ୍ ଏମିତି ବେଳ ଅବେଳରେ ମନେ ପଡ଼ିଯାଏ, ଆଈ ମାଆ ଚାରି ପାଖେ ଖୁଜ୍ ବୁଜ୍ ପିଲାଦିନଟା। ଚଡ଼କ ମାରୁ କି ଖାଇବା ନଖରା ହଉ ସବୁ ଠାରେ ତା ତାଗିଦ୍ ଶବ୍ଦ ମାନ ପ୍ରତିଧ୍ଵନିତ ହୁଏ। ଘଡ଼ଘଡି ମାରିଲେ କହିବ – ଖଟ ଉପରରେ ବସ, ଜମା ତଳକୁ ଓହ୍ଲେଇ ବୁନି ! ଅମାନିଆ ମୁଁ , ବାରଣ୍ଡା ଡେଇ ପାଦ ଚିପି ଚିପି ଅଜାଙ୍କ ବଡ଼ କାଠ ଚଉକି ପାଖକୁ ଚାଲିଯାଏ। ଚଉକି ଉପରକୁ ଓଦା ପାଦ ଦିଟାକୁ ଟେକି ଦେଇ ବସିଯାଏ। ବିଜୁଳି ଘଡ଼ଘଡି ଇନ୍ଦ୍ରଧନୁର ସପ୍ତରଙ୍ଗି ଆକାଶକୁ ଅନେଇ ରୁହେ। ବିଜୁଳି ବି ଖୁବ୍ ଜାଣି ପାରେ, ଆଈମାର ଆଉ ଗୋଟେ ତାଗିଦ୍ ଆସିବା ଆତେ ଖୁବ୍ ମନୋରଞ୍ଜନ କରେ। ନଖାଇଲେ କହିବ – ଖାଇବୁ ନା ନାଇଁ ତୋ ମାଆକୁ କହିବି ଏବେ ଆସିକି ତତେ ତା ସାଙ୍ଗରେ ଢେଙ୍କାନାଳ ନେଇଯିବ ! “ମା” ରୁ ମାଆ ଆଉ ପୁଣି “ମା” ରୁ ମାଡ଼ ଏଇ ଦୁଇଟି ଶବ୍ଦ ଭାରି ଅପ୍ରୀତିକର ଥିଲା। ଆଈମା ଶରଣରୁ ବାହାରିଲେ ବାକି ସବୁ ଜାଗା ବିପଦପୂର୍ଣ୍ଣ ଲାଗେ। ମୋ ପରି ଅମାନିଆ, ଅଖିଆ ଅପିଆ ଛୁଆକୁ ଉତ୍ତମ ମଧ୍ୟମ ହିଁ ସାର ଥିଲା ସେତେବେଳେ। ସବୁ ବେଳେ ମାଆ ମାଆ କହି ଡରାଉଥିବା ଆଈମା କେବେ ବି ମାଆ ଆଗରେ ମୋ ଫେରାଦ ଦେଇନି। କିନ୍ତୁ ମାଆ ତ ମାଆ ସେ ସବୁ ଜାଣିପାରେ, ଦୂରରେ ରହି ବି ସେ ସବୁ ବୁଝିପାରେ। ଆଈମାର ଚାରିପାଖର ଦୁନିଆ ଇପ୍ସିତ ଦୁନିଆ କହିଲେ ଠିକ୍ ହବ। ତା ଚାରି ପାଖ ମୋ ଦୁନିଆ ଥିଲା। ପିଲାବେଳେ ମାଡ଼ ଖାଇଲେ କି ମନ ଦୁଃଖ ହେଲେ, ତାକୁ ମୁଁ ଜାବୁଡ଼ି ଧରୁଥିଲି , ମୋ ଲୁହ ଦେଖି ସେ ବି କାନ୍ଦି ଦିଏ। ଏବେ ସେ ମତେ ଜାବୁଡ଼ି ଧରିଛି। ସାଇତି ରଖିଛି ତାକୁ ମୋ ଭିତରେ। ଏପାଳି କହିଛି ତାକୁ, ଜମା ବାହାରିବୁନି, ମୋ ପରି ଜମା ଅମାନିଆ ହବୁନି। କୋଉଠି ନା କୋଉଠି ତା ସୂକ୍ଷ୍ମ ଆତ୍ମା ଦେଖୁଥିବ ମତେ, ସେଥିପାଇଁ ତା ତାଗିଦ୍ ସବୁକୁ ମାନି ନେଇଛି। ଏବେ ଇପ୍ସିତ ଦୁନିଆ ଠାରୁ ଖୁବ୍ ଦୂରରେ ଏକ ସନ୍ତୁଷ୍ଟିକର ଜୀବନ ବିତାଉଛି।

FB_IMG_1686103726896
Picsart_22-04-11_10-18-21-175

ଗାଳ୍ପିକା- ପଲ୍ଲବୀ ଦାସ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Leave a Comment

nine − seven =