ସାମ୍ବାଦିକତା ଓ ସାହିତ୍ୟ ମଧ୍ୟରେ ଥିବା ତଫାତ୍ ବା ଭିନ୍ନତା ବିଷୟରେ ଆମେ ଅନେକ ସମୟରେ ଚିନ୍ତା କରୁ ଓ ଗୁରୁତ୍ୱ ଦେଉ । ତେବେ ଏ ଦୁଇଟିର ସମାନତାକୁ ଆମେ ଧ୍ୟାନ ଦେବା ଉଚିତ । ସାମ୍ବାଦିକତା ଓ ସାହିତ୍ୟ ଭିତରେ ଏକ ଅନ୍ତରଙ୍ଗ ସମ୍ପର୍କ ରହିଛି ବୋଲି କହିଛନ୍ତି ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ‘ସାମ୍ବାଦିକତା ଓ ସାହିତ୍ୟ’ ଉପରେ ବକ୍ତବ୍ୟ ଦେଇ ପ୍ରଫେସର ନାୟକ କହିଛନ୍ତି, ସାମ୍ବାଦିକତା ଓ ସାହିତ୍ୟ ମଧ୍ୟରେ ଅନେକ କ୍ଷେତ୍ରରେ ସମାନତା ରହିଛି । ବର୍ତ୍ତମାନ ସେ ଯୁଗ ଆଉ ନାହିଁ ଯେ, ସାମ୍ବାଦିକତା କେବଳ ତଥ୍ୟ ଯୋଗେଇବ ଓ ସାହିତ୍ୟ କେବଳ କାଳ୍ପନିକ କଥା କହିବ । ଏବେର ସାମ୍ବାଦିକମାନେ ସର୍ଜନଶୀଳ ସାହିତ୍ୟ ରଚନାର ଶୈଳୀ ଆପଣେଇବା ଦରକାର । ସବୁବେଳେ କେବଳ ତଥ୍ୟ ଦେଇ ଖବର ଲେଖିଦେଲେ ହେବନାହିଁ, ବରଂ ତଥ୍ୟଗୁଡ଼ିକୁ କିପରି ସର୍ଜନଶୀଳ ଲେଖାର ରୂପ ଦେଇହେବ, ସେନେଇ ଚିନ୍ତା କରିବା ଉଚିତ । ଏ କ୍ଷେତ୍ରରେ ସାହିତ୍ୟର ରଚନା ଶୈଳୀ ଅନେକ ସହାୟକ ହୋଇଥାଏ । ଏଣୁ ସାମ୍ବାଦିକମାନେ ସାହିତ୍ୟର ଶୈଳୀ ଉପରେ ଦଖଲ ରଖିବାକୁ ଗୁରୁତ୍ୱ ଦେବା ସହ ଏହାକୁ ଉପଯୁକ୍ତ ସମୟରେ ବ୍ୟବହାର କରିବାର ସାମର୍ଥ୍ୟ ହାସଲ କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ସେ ବିଶ୍ୱର ପ୍ରସିଦ୍ଧ ସାମ୍ବାଦିକ ତଥା ସାହିତ୍ୟିକ ଗାର୍ବିଏଲ୍ ଗାର୍ସିଆ ମାର୍କୁଏଜ୍, ଜର୍ଜ ଓର୍ୱେଲ୍, ରିଚାର୍ଡ କାପୁସିଙ୍କି ଓ ଏର୍ନେଷ୍ଟ ମିଲର ହେମିଙ୍ଗ୍ୱେଙ୍କ ଉଦାହରଣ ଦେଇଛନ୍ତି । ଏମାନେ ଅନେକ ସମୟରେ ସାହିତ୍ୟର କଳ୍ପନା ଜଗତରୁ ଅନେକ କଥା ନେଇକି ସାମ୍ବାଦିକତା ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ସାମ୍ବାଦିକତାରେ ଜଣେ କଳ୍ପନା ଭିତରୁ ସତ୍ୟକୁ ବାହାର କରିବାକୁ ଚେଷ୍ଟା କରେ । ଏହାକୁ ‘ମ୍ୟାଜିକ୍ ଜର୍ଣ୍ଣାଲିଜମ୍’ ବୋଲି କୁହାଯାଏ । ସେହିପରି ସାହିତ୍ୟିକମାନେ ମଧ୍ୟ ଆଜିକାଲି କେବଳ ବିଳାସ ସ୍ୱପ୍ନ ବା ଅବିଶ୍ୱସନୀୟ ଘଟଣା ଉପରେ ଗୁରୁତ୍ୱ ନ ଦେଇ ସମାଜରେ ଘଟୁଥିବା ବାସ୍ତବ ଘଟଣାକୁ ସାହିତ୍ୟର ରୂପ ଦେଉଛନ୍ତି । ଏହାକୁ ‘ମ୍ୟାଜିକ୍ ରିୟଲିଜମ୍’ ବୋଲି କୁହାଯାଏ । ଏଥିରୁ ସ୍ପଷ୍ଟ ସାମ୍ବାଦିକତା ଓ ସାହିତ୍ୟ ମଧ୍ୟମରେ ଥିବା ସମ୍ପର୍କ କେତେ ଅନ୍ତରଙ୍ଗ ଓ ଘନିଷ୍ଠ । ଏଣୁ ଏ ଦୁଇଟି ଭିତରେ ଭିନ୍ନତା ବଦଳରେ ଏକ ସେତୁ ତିଆରି କରିବା ଉପରେ ଆଜିର ପିଢ଼ି ଗୁରୁତ୍ୱ ଦେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ‘ଉତ୍କଳ ଦୀପିକା’ ଓଡ଼ିଆ ଅସ୍ମିତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଭାଷାଭିତ୍ତିକ ଗୋଟିଏ ପ୍ରଦେଶ ଗଠନ କରିବା ଏହି ଖବରକାଗଜର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହାସହ ପ୍ରଶାସନ କରୁଥିବା ଅବହେଳା ସମ୍ପର୍କରେ ସଚେତନ ରହିବା ଉପରେ ଏକ ବଡ଼ ପାଠକଗୋଷ୍ଠୀ ତିଆରି କରିବା ଏହାର ଆଉ ଏକ ଉଦ୍ଦେଶ୍ୟ ଥିଲା । ଏହି ଖବରକାଗଜ କେବଳ ସାମ୍ବାଦିକତା କରୁନଥିଲା, ବରଂ ସାହିତ୍ୟ ବିଷୟରେ ମଧ୍ୟ ବହୁତ ସଚେତନ ଥିଲା । ‘ଉତ୍କଳ ଦୀପିକା’ ସାହିତ୍ୟ ପୁସ୍ତକଗୁଡ଼ିକର ସମାଲୋଚନା ଆରମ୍ଭ କରିଥିଲା । ସେସମୟରେ କୌଣସି ସାହିତ୍ୟ ପତ୍ରିକା ନଥିଲା । ସାହିତ୍ୟ ସମୀକ୍ଷା ପାଇଁ ଏହା ଏକ ଭଲ ମଞ୍ଚ ଥିଲା । ସାହିତ୍ୟର ନିୟମିତ ଆଲୋଚନା କରିବା ହେତୁ ଓଡ଼ିଆ ସାହିତ୍ୟର ସମୃଦ୍ଧି କ୍ଷେତ୍ରରେ ଏହା ବେଶ୍ ସହାୟକ ହୋଇପାରିଲା । ସେସମୟରେ ଲୋକଙ୍କ ମନୋରଞ୍ଜନ ତଥା ଲୋକଙ୍କ ଚିତ୍ତ ବିନୋଦନ ପାଇଁ ସାହିତ୍ୟ ଏକ ମୁଖ୍ୟ ଉତ୍ସ ଥିଲା । ସାମ୍ବାଦିକତା ଓ ସାହିତ୍ୟ ଚେତନାର ଏକ ଅନ୍ତରଙ୍ଗ ସମ୍ପର୍କ ରହିଛି । ଓଡ଼ିଶାରେ, ଦେଶରେ ତଥା ବିଦେଶରେ ଅନେକ ସାମ୍ବାଦିକ ଜଣେ ଜଣେ ଭଲ ଲେଖକ । ଓଡ଼ିଶାର ଅନେକ ଉଦାହରଣ ରହିଛି । ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ଗୋଦାବରୀଶ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, ମନମୋହନ ମିଶ୍ରଙ୍କ ପରି ଅନେକ ସାହିତ୍ୟିକଙ୍କ ସିଧାସଳଖ ସମ୍ପର୍କ ସାମ୍ବାଦିକତା ସହ ଥିଲା ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ମାନବିକ ବିପତ୍ତି ସମୟରେ ସମ୍ବାଦପତ୍ର ଏକ ବଡ଼ ଭୂମିକା ଗ୍ରହଣ କରେ । ପ୍ରଶାସନର ବିଫଳତାକୁ ସମ୍ବାଦପତ୍ର ହିଁ ଉପସ୍ଥାପନ କରେ । ଏ କ୍ଷେତ୍ରରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ନାମ ଚିର ସ୍ମରଣୀୟ । ୧୮୬୬ ମସିହା ଅଗଷ୍ଟ ୪ରେ ପ୍ରକାଶନ ଆରମ୍ଭ କରିଥିବା ‘ଉତ୍କଳ ଦୀପିକା’ ନଅଙ୍କ ଦୁର୍ଭିକ୍ଷର ଭୟାବହତାକୁ କମେଇବାରେ ଖୁବ୍ ସହାୟକ ହୋଇଥିଲା । ଏହାସହ ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏହି ଖବରକାଗଜ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ଓଡ଼ିଆଙ୍କ ସ୍ୱାର୍ଥ, ଭାଷାକୁ ବଞ୍ଚେଇବା ତଥା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ଏହା ଉଦ୍ୟମ କରିଥିଲା । ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଖବରକାଗଜର ଅବଧାରଣାରେ ଯେଉଁ କଥାଗୁଡ଼ିକ ରହିଛି- ‘ଉତ୍କଳ ଦୀପିକା’ରେ ତାହା ସବୁ ଥିଲା । ଏହାକୁ ଓଡ଼ିଆ ଭାଷାର ପ୍ରଥମ ପ୍ରକୃତ ଅର୍ଥରେ ଖବରକାଗଜ ଭାବେ ବିବେଚିତ କରାଯାଏ । ସେଇଥିପାଇଁ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି ।
ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମରେ ସୋନାଲି ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ଏଥିସହିତ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଉପରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସ୍କ୍ରିନିଂ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆଇଆଇଏମ୍ସିର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।
ଆଇଆଇଏମ୍ସି ପକ୍ଷରୁ ପ୍ରତିବର୍ଷ ଏହି ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହୋଇଆସୁଛି ।
ଯାଜ୍ଞସେନୀ ଧଳଙ୍କୁ ରାଧାନାଥ ରଥ ଛାତ୍ରବୃତ୍ତି
ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ଅବସରରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ରାଧାନାଥ ରଥ ବୃତ୍ତି ପ୍ରଦାନ କରାଯାଇଛି । ସେହିପରି ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରୀ ଖ୍ୟାତି ସଙ୍ଗୀରଙ୍କୁ ଡ. ସତ୍ୟ ମହାପାତ୍ର ସ୍ମାରକୀ ବୃତ୍ତି ଦିଆଯାଇଛି । ବୃତ୍ତି ବାବଦକୁ ଉଭୟଙ୍କୁ ମିଳିଛି ମାନପତ୍ର ଓ ଦଶ ହଜାର ଟଙ୍କା ।
୨୦୨୦-୨୧ ଶିକ୍ଷାବର୍ଷର ପତ୍ରିକା ଉନ୍ମୋଚିତ
ଏହି କାର୍ଯ୍ୟକ୍ରମରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ୬୪ ପୃଷ୍ଠାର ଏକ ପତ୍ରିକା ଉନ୍ମୋଚିତ ହୋଇଛି । ଏଥରର ପ୍ରଚ୍ଛଦ ପ୍ରସଙ୍ଗ ରହିଛି ‘ବିରତି ବିଶ୍ୱ- ୨୦୨୦’ । ଏହାସହ ସଂସ୍ଥାନ ପକ୍ଷରୁ ଏକ ‘ଆଲୁମିନାଏ ଇନ୍ଡେକ୍ସ’ ପୁସ୍ତିକାର ଲୋକାର୍ପଣ ହୋଇଛି । ଏଥିରେ ସଂସ୍ଥାନର ବିଭିନ୍ନ ବର୍ଷର ଶିକ୍ଷାର୍ଥୀମାନଙ୍କ ବୃତ୍ତିଗତ ଜୀବନ ସମ୍ପର୍କରେ ଉଲ୍ଲେଖ ହୋଇଛି ।
ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ