ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ଜଡିତ, ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଅକ୍ଷିମୁଠି ଅନୁକୂଳ ଭାବେ ପରିଚିତ ଏହି ଦିନରେ ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏହାସହ ଧରିତ୍ରୀ ମାତା ଓ ଭୂମି ପୂଜା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି ।
ନାମକରଣ ଅନୁଯାୟୀ, ଏହି ଦିନର ମହତ୍ୱ ହେଲା, ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧିର ଆରମ୍ଭ ହେଉ କିନ୍ତୁ ତାହା ଅକ୍ଷୟ ରହୁ । ଧାର୍ମିକ ପରଂପରା ଅନୁସାରେ, ଏହି ଦିନ ଓଡିଆଙ୍କ ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇବା ସହ ରଥ ଯାତ୍ରା ପାଇଁ ରଥକାର୍ଯ୍ୟର ତଥା କାଠର ଶୁଭ ଅନୁକୂଳ କରାଯାଇଥାଏ ।
ଯେକୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ ତଥା ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରିବା ଦ୍ୱାରା ଏହା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ର ଅନୁସାରେ ,ଏହି ଦିନରେ ତ୍ରେତୟା ଯୁଗର ଆରମ୍ଭ ଏବଂ ମୁନୀ ବେଦବ୍ୟାସଙ୍କ ତତ୍ୱାବଧାନରେ ଗଜାନନ ଶ୍ରୀ ଗଣେଶ ଭାରତର ମହାନଗାଥା ତଥା ‘ମହାଭାରତ’ର ଲେଖା ଆରମ୍ଭ କରିଥିଲେ ବୋଲି ବିଶ୍ୱାସ ମଧ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ