ସମଗ୍ର ସୃଷ୍ଟିର କର୍ତ୍ତା ବିଶ୍ୱକର୍ମା । ସେ ହେଉଛନ୍ତି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟିର ରଚନା କରିଥିଲେ । ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ ଅସ୍ତ୍ରଶସ୍ତ୍ର , ମହଲ ମାନଙ୍କର ନିର୍ମାଣ ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ହୋଇଥିଲା ।ଏଥିପାଇଁ ତାଙ୍କୁ ନିର୍ମାଣ ଏବଂ ସୃଷ୍ଟିର ଦେବତା ବୋଲି କୁହାଯାଏ । ସୁନାର ଲଙ୍କା, ପୁଷ୍ପକ ବିମାନ , ଇନ୍ଦ୍ରଙ୍କବଜ୍ର , ମହାଦେବଙ୍କ ତ୍ରିଶୁଳ, ଶ୍ରୀ କୃଷ୍ଣଙ୍କ ନଗରୀ ଦ୍ୱାରିକା , ଇନ୍ଦ୍ରପୁରୀ, ହସ୍ତିନାପୁର, ସ୍ୱର୍ଗଲୋକ, ଆଦିର ନିର୍ମାଣ କରିଥିଲେ ବିଶ୍ୱକର୍ମା ।
ବିଶ୍ୱାସ ରହିଛି ତାଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୁଏନି । କୁହାଯାଏ ତାଙ୍କ ପୂଜା କରିବ ଦ୍ୱାରା ବ୍ୟବସାୟ ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ । ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ।
ସ୍କନ୍ଧ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ ରହିଛି । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ । ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ