ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ଯକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ଭସାଣି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀ ପୂଜା ଶାନ୍ତିଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଥିବାରୁ ଜିଲ୍ଲାପାଳ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତାକୁ ସାଧୁବାଦ ଜ୍ଞାପନ କରିଥିଲେ ।
ବର୍ଷାକୁ ଦୃଷ୍ଟିରେ ରଖୁ ଭସାଣି କାର୍ଯ୍ୟ ଯଥା ଶୀଘ୍ର ସମାପନ କରିବାକୁ ପରାମର୍ଶ ଦେଇଛନ୍ତି । ଶିଶୁ, ବୃଦ୍ଧ-ବୃଦ୍ଧା ଏବଂ ହୃଦରୋଗୀମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖୁ ଭସାଣି ଉତ୍ସବ ସମୟରେ ଡିଜେ ସାଉଣ୍ଡ ଭଲ୍ୟୁମ କମ କରି ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଭସାଣି ଉତ୍ସବକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ପ୍ରାୟ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି ସେ ପ୍ରକାଶ କରିଥିଲେ ।
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବକୁ ବିଶ୍ୱାସ ଓ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତେ ମିଳିମିଶି ସମାପନ କରିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ଉଚିତ ସହଯୋଗ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଭସାଣି ନିମନ୍ତେ ମୀନା ବଜାର ଘ. ୮.୩୦ ମି. ରେ ଯାତ୍ରା ଶୁଭାରମ୍ଭ କରିବା ବୋଲି ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଥିଲେ । ଅନ୍ୟାନ୍ୟ ମେଢ କ୍ରମାନ୍ୱୟରେ ନିର୍ଦ୍ଧାରିତ ରୁଟରେ ଯିବା ସହିତ ସନ୍ଧ୍ୟା ୬ ଘଟିକା ସୁଦ୍ଧା ମୀନା ବଜାର ମେଢ ବାଜି ଚଉକ ଅତିକ୍ରମ କରି ରାତ୍ର ପ୍ରାୟ ଘ. ୮.୧୦ ମି. ରେ କାଠ ଶଙ୍ଖ ଠାରେ ବିସର୍ଜନ କରିବେ । ରାତ୍ର ୧୨ ଘଟିକା ସୁଦ୍ଧା ସମସ୍ତ ମୂର୍ତ୍ତି ବିସର୍ଜିତ ହେବେ ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ପୂଜା ଅନୁଷ୍ଠାନ ହୋଇପାରିଥିବାରୁ ସେ ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଭସାଣି ନିମନ୍ତେ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସଦର ଉପଜିଲ୍ଲାପାଳ ଶ୍ରୀ ବିବୁଧ ଗଡନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ଏହି ପ୍ରସ୍ତୁତି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୂତି ଭୂଷଣ ମହାପାତ୍ର, ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ଓ ସମ୍ପାଦକ, ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସହରର ବୁଦ୍ଧିଜୀବୀଗଣ, ଗଣମାଧ୍ୟମର ପ୍ରତିନିଧୂମାନେ ଉପସ୍ଥିତ ରହି ଲକ୍ଷ୍ମୀପୂଜା ଭସାଣି ସମ୍ପର୍କରେ ଆଲୋଚନା କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ