ଢେଙ୍କାନାଳ ଜିଲ୍ଲାରେ ଏନକ୍ବାସ୍ ଓ କାୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ,
ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ସିଡିଏମ ପିଏଚ୍ଓ ଡା. ଅଶୋକ କୁମାର ଦାସ, ଏନଜିଓ ପ୍ରତିନିଧି ଏବଂ ଅନ୍ୟାନ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ।
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁଯାୟୀ ଜିଲାର ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ଅନୁଧ୍ୟାନ କରାଯାଇଥିଲା। ସ୍ବଚ୍ଛତା, ସଂକ୍ରମଣ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଥିବାରୁ ଜିଲ୍ଲା କାୟାକଳ୍ପ ମନୋନୟନ କମିଟିଙ୍କ ନିଷ୍ପତ୍ତିକ୍ରମେ ସ୍ବେଚ୍ଛାସେବୀ ଶୋଭା ଅନୁଷ୍ଠାନ ଦ୍ବାରା ପରିଚାଳିତ ଶ୍ରୀମୂଳା ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପ୍ରଥମ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଚତୁର୍ଥଥର ପାଇଁ କ୍ରମାଗତ ଭାବରେ ଶ୍ରୀମୂଳା ସ୍ବସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇ ଆସୁଅଛି ।
ସେହିପରି ଏହି ବର୍ଷ ରୋଗୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଶ୍ରୀମୂଳା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ସମ୍ମାନଜନକ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ (NQAS) ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ନିକଟରେ 4 ଟି ବିଭାଗକୁ ଓପିଡି, ସାଧାରଣ ପ୍ରଶାସନ, ଲାବୋରେଟୋରୀ ଓ ଜାତୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବିଭାଗକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଜାତୀୟ ସ୍ତରର ଗୁଣବତ୍ତା ମାନ ଯାଞ୍ଚ କରିବା ପାଇଁ ଏକ ଦୁଇଜଣିଆ କେନ୍ଦ୍ରୀୟ ଏନ୍କ୍ବାସ (ନ୍ୟାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ଟିମ୍ ଯାଞ୍ଚ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।
ସେମାନେ ଦୁଇଦିନ ହସ୍ପିଟାଲର 04 ବିଭାଗର ପ୍ରାୟ 1400 ଟି ବିଷୟବସ୍ତୁ ଯଥା ଲାବୋରେଟୋରୀ, ଡ୍ରେସିଂ ରୁମ, ଔଷଧ ବିତ୍ତରଣ କେନ୍ଦ୍ର, ଓପିଡି,ଲେବର ରୁମ, ନର୍ସିଂ ଷ୍ଟେସନ, ଈଣ୍ଡୋର ୱାର୍ଡ, ଟଏଲେଟ,ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଷ୍ଟାଫ କ୍ବାର୍ଟର, ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଚୀର,ପାନୀୟ ଜଳର ବ୍ୟବସ୍ଥା ଓ ସ୍ବଚ୍ଛତା, ଜାତୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଅନ୍ୟାନ ସେବା ପ୍ରଭୁତିକୁ ଯାଞ୍ଚ କରିବା ସହ ସମସ୍ତ ବିଭାଗର ଡାକ୍ତର, ଫାର୍ମାସିଷ୍ଟ, ନର୍ସ,ସଫେଇ କର୍ମଚାରୀ ଙ୍କ ସହ ସମସ୍ତ କର୍ମଚାରୀ ଙ୍କୁ ବିଭିନ୍ନ ବିଷୟ, ରୋଗୀ ଓ ପରିବାର ବର୍ଗଙ୍କୁ ରୋଗୀ ସେବା ଉପରେ ପଚାରି ବୁଝିବା ସହ ସମସ୍ତ ନଥିପତ୍ର ଯାଞ୍ଚ କରିଥିଲେ।
ଶ୍ରୀମୂଳା ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଡା ଶ୍ରାବଣୀ ଶାମୁକା ରଥ ଏବଂ ଶୋଭାର ନିର୍ଦ୍ଦେଶକ ଜିଲ୍ଲାପାଳଙ୍କଠାରୁ ଉଭୟ କାୟାକଳ୍ପ ଏବଂ ଏନ୍ କ୍ବାସ୍ ପୁରସ୍କାର ଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ