ବିଶ୍ୱରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ସମାନତା ରହିବା ଅପରିହାର୍ଯ୍ୟ।ଏହା ଦ୍ୱାରା ବିକାଶଧାରା ଅବ୍ୟାହତ ରହିଥାଏ।ସମଗ୍ର ପୃଥିବୀରେ ପ୍ରତ୍ୟକ ରାଷ୍ଟ୍ରରେ ମାନବାଧିକାର ଅବସ୍ଥାରେ ଉନ୍ନତି ଆଣିବା ହେଉଛି ଏହାର ମୂଳ ଲକ୍ଷ୍ୟ।ଦିନ ଥିଲା ମାନବ ଅଧିକାର କହିଲେ କେବଳ ରାଷ୍ଟ୍ରଦ୍ୱାରା ନିର୍ଦ୍ଧାରିତ ରାଜନୈତିକ ବା ଗଣତାନ୍ତ୍ରିକ ଅଧିକାରକୁ ହିଁ ବୁଝାଉଥିଲା।ଜଣେ ବ୍ୟକ୍ତିକୁ ରାଷ୍ଟ୍ରପ୍ରଦତ୍ତ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବା ସ୍ଥିତିରେ ହିଁ ତାର ଅଧିକାରର ଉଲଂଘନ ହେଉଛି ବୋଲି କୁହାଯାଉଥିଲା।କିନ୍ତୁ ସମାଜର ବିକାଶ ସହିତ ମାନବ ଅଧିକାରର ପରିଭାଷା ଓ ପରିସୀମାଟି ମଧ୍ୟ ବଦଳି ପୂର୍ବାପେକ୍ଷା ଅଧିକ ବ୍ୟାପକ ହୋଇଛି।ବର୍ତ୍ତମାନ ଖାଦ୍ୟ, ପାନୀୟଜଳ, ବାସଗୃହ, ମାଗଣାରେ ଶିକ୍ଷା ଓ ପ୍ରଦୂଷଣ ମୁକ୍ତ ପରିବେଶ ପାଇବା ମଧ୍ୟ ମାନବ ଅଧିକାର ଦିବସର ପରିସରଭୁକ୍ତ ହୋଇଛି।ଲିଙ୍ଗଗତ ବିଭେଦ ଓ ଜାତିଗତ ନିର୍ଯ୍ୟାତନାରୁ ମୁକ୍ତିର ଅଧିକାର, ଜାତୀୟତାର ଅଧିକାର,ଶିଶୁ ଅଧିକାର ଏପରିକି ସମଲିଙ୍ଗୀ ମାନଙ୍କ ଅଧିକାର ମଧ୍ୟ ମାନବ ଅଧିକାରର ପରିଭାଷାରେ ସାମିଲ ହୋଇ ଏହାର ପରିସୀମାକୁ ଅନେକ ପ୍ରସାରିତ କରିଛି।
ପ୍ରତିବର୍ଷ ଡ଼ିସେମ୍ବର ୧୦ରେ ଅନ୍ତର୍ଜାତୀୟ ସ୍ତରରେ ମାନବାଧିକାର ଦିବସ ପାଳନ କରାଯାଇଥାଏ।୧୯୪୮ ମସିହା ଡିସେମ୍ବର ୧୦ରେ ଜାତିସଙ୍ଘ ସାଧାରଣ ମହାସଭାରେ ମାନବିକ ଅଧିକାର ଦିବସ ଘୋଷଣାନାମା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।ମାନବ ଅଧିକାର ଦିବସର ଆନୁଷ୍ଠାନିକ ପ୍ରତିଷ୍ଠା ୪ ଡ଼ିସେମ୍ବର ୧୯୫୦ ମସିହାରେ ସାଧାରଣ ସଭାର ୩୧୭ ତମ ବୈଠକରେ ହୋଇଥିଲା।ବିଧିବଦ୍ଧ ଭାବେ ୧୯୫୦ ଡ଼ିସେମ୍ବର ୧୦ ଠାରୁ ଏହାର ପାଳନ ଆରମ୍ଭ ହୋଇଥିଲା।ଲୋକଙ୍କ ସାମାଜିକ, ସାଂସ୍କୃତିକ ଓ ଶାରୀରିକ ଅଧିକାର ସମ୍ପକରେ ସଚେତନତା ସୃଷ୍ଟି ଏବଂ ପ୍ରତ୍ୟକଙ୍କ ମଙ୍ଗଳ କରିବା ଉଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ଲାଗି ଜାତିସଙ୍ଘ ରାଷ୍ଟ୍ର ମାନଙ୍କୁ ଉତ୍ସାହିତ କରେ।ବିଶ୍ୱର ବୃହତ ପରିବାର ମଧ୍ୟରେ ଜାତି, ଧର୍ମ,ବର୍ଣ୍ଣ, ଲିଙ୍ଗ, ଭାଷା, ରାଜନୈତିକ ଓ ଅନ୍ୟ ରାୟ କିମ୍ବା ସାମାଜିକ ପୃଷ୍ଠଭୂମି, ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଏବଂ ସଭିଙ୍କ ସ୍ୱାର୍ଥ ସୁରକ୍ଷା ହିଁ ମାନବାଧିକାର ଦିବସର ଏକମାତ୍ର ଲକ୍ଷ୍ୟ।କୋଭିଡ -୧୯ ମହାମାରୀ ପରେ ଦାରିଦ୍ର୍ୟ, ଅସମାନତା, ଭେଦଭାବ ଏବଂ ମାନବାଧିକାର ସୁରକ୍ଷାରେ ଗଭୀର ବ୍ୟବଧାନ ସୃଷ୍ଟି ହୋଇଥିବାବେଳେ ଏହି ଦିବସ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଛି।
ମଧୁସ୍ମିତା ବେହେରା, ମୋ ଢେଙ୍କାନାଳ