ଭୁବନେଶ୍ବର ରାଜଭବନ ପରିସରରେ ଗୁରୁବାର ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ଙ୍କ ଦ୍ୱାରା ବିଜ୍ଞାନ ନାଟକ ସଙ୍କଳନ “ସୃଷ୍ଟି” ଲୋକାର୍ପିତ ହୋଇଯାଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ନାଟ୍ୟ ଦକ୍ଷତା ପ୍ରତିପାଦିତ କରିଥିବା ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସଙ୍କ ଦ୍ବାରା ରଚିତ ତିନୋଟି ବିଜ୍ଞାନ ନାଟକ ଏହି ସଙ୍କଳନ “ସୃଷ୍ଟି” ରେ ସ୍ଥାନିତ ହୋଇଛି।
୨୦୧୭-୧୮ରେ “ଚଷମା”, ୨୦୧୮-୧୯ରେ “ହୋପ୍” ଓ ୨୦୧୯-୨୦ରେ “ସୃଷ୍ଟି” ନାଟକ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ କାନପୁରା ଗ୍ରାମରେ ଥିବା ପଂଚାୟତରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ବାରା ପରିବେଷିତ ହୋଇ ଜିଲ୍ଲା, ରାଜ୍ୟ ଜୋନ୍, ରାଜ୍ୟ ଓ ପୂର୍ବ ଭାରତ ପ୍ରତିଯୋଗିତାରେ ଲଗାତାର ଭାବରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ଯଥାକ୍ରମେ ମୁମ୍ବାଇ, ଦିଲ୍ଲୀ ଏବଂ କୋଲ୍କାତାରେ ପରିବେଷିତ ହୋଇଥିଲା।
ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶିତ ଉକ୍ତ ନାଟକ ଗୁଡିକ ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ହାଟ୍ରିକ ଅର୍ଜନ କରିବା ସହିତ ଜାତୀୟ ସ୍ତରରେ ଓଡ଼ିଆ ନାଟକର ଉତ୍କର୍ଷତାକୁ ପ୍ରତିପାଦିତ କରିଥିଲା।
ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ମହାମହିମ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ସୁ-ସାହିତ୍ୟିକ ଶଙ୍କର ପରିଡା, ଅଲ୍ଟର୍ନେଟିଭ୍ ରିଦମ ଥିଏଟର୍ର ଅଧ୍ୟକ୍ଷା ତଥା ଅଧ୍ୟାପିକା ଡଃ ପୁଷ୍ପଲତା ରଥ, ପଂଚାୟତରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମହାମହିମ ରାଜ୍ୟପାଳ ବିଜ୍ଞାନ ନାଟକ ସଙ୍କଳନର ସଫଳତା କାମନା କରିବା ସହିତ ବିଜ୍ଞାନ ନାଟକ ରଚନା କ୍ଷେତ୍ରରେ ଦକ୍ଷତା
ପ୍ରତିପାଦିତ କରିଥିବା ନାଟ୍ୟକାର ଦିନେଶ ଦାସଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପୁସ୍ତକଟି କଟକର ବିଜୟିନୀ ପବ୍ଲିକେଶନ୍ସ ଦ୍ବାରା ପ୍ରକାଶିତ ହୋଇଥିବା ବେଳେ ସମରେନ୍ଦ୍ର ନାୟକ ଏହାର ପ୍ରଚ୍ଛଦ ରଚନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ