ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ପଲ୍ଲିଶ୍ରୀ ମେଳା ଆୟୋଜନ ହେବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପଲ୍ଲିଶ୍ରୀ ମେଳାକୁ ସରସ ସୁନ୍ଦର ଏବଂ ଆକର୍ଷଣୀୟ କରି ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।
ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମହିଷାପାଟସ୍ଥ ମେଳା ପଡିଆଠାରେ ଏହି ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ । ଏହି ମେଳା ଦିବା ୧୦ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ମେଳାରେ ସମସ୍ତ ଜିଲ୍ଲାର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କୁଟୀର ଶିଳ୍ପ, ଡୋକ୍ରା କାରୁକାର୍ଯ୍ୟ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ, ମିଶନ ଶକ୍ତି ଓ ଜରୁରୀ ସେବା ସଂସ୍ଥା, ରାଜ୍ୟ ବାହାରର ଫୁଡ୍ ପ୍ଲାଜା, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ ଦଳଙ୍କୁ ନେଇ ୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲାଯିବ ବୋଲି ଓରମାସର ଡେପୁଟି ସି.ଇ.ଓ. ଶ୍ରୀ ସୌରଭ ଦାଶ ପ୍ରକାଶ କରିଛନ୍ତି ।
ପଲ୍ଲିଶ୍ରୀ ମେଳାକୁ ଆକର୍ଷଣୀୟ କରିବା ପାଇଁ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦିନରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ । ଏହି ପଡ଼ିଆରେ ଦୋଳି, ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳର ବ୍ୟବସ୍ଥା କରାଯିବ । ପଲ୍ଲିଶ୍ରୀ ମେଳାର ସୁପରିଚାଳନା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ । ମେଳାକୁ ଶୃଙ୍ଖଳିତ କରିବାକୁ ଏନ. ସି. ସି., ସ୍କାଉଟ, ଗାଇଡମାନଙ୍କ ସହଯୋଗ ନିଆଯିବ । ପୌରପାଳିକା ପକ୍ଷର ନିୟମିତ ଭାବେ ପରିଷ୍କାର ପରିଚ୍ଛନତା, ବିଶୋଧନ ବ୍ୟବସ୍ଥା ସହ ଯାନବାହନ ପାକିଂ ବ୍ୟବସ୍ଥା କରାଯିବ । ମେଳା ପଡିଆରେ ସ୍ବାସ୍ଥ୍ୟ ସଚେତନତା, ଆଶୁ ଚିକିତ୍ସା ବ୍ୟବସ୍ଥା ସହିତ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯିବ । ଅଗ୍ନିଶମ ପକ୍ଷରୁ ୨୪ ଘଣ୍ଟିଆ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ ।
ପଲ୍ଲିଶ୍ରୀ ମେଳା ରେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ସହିତ ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି. ପ୍ରକାଶ କରିଛନ୍ତି ।
ପ୍ରସ୍ତୁତି ବୈଠକରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସରବରାହ, କଣ୍ଟ୍ରୋଲ ରୁମ, ସଦେଇବେରେଣୀ ସ୍ଥିତ କଳାକୃତି ଗ୍ରାମ ଠାରେ ଷ୍ଟଲ୍ର କର୍ମଚାରୀମାନଙ୍କ ରହଣି ଓ ଯାତାୟାତ ବ୍ୟବସ୍ଥା ସମ୍ପର୍କ ରେ ଆଲୋଚନା ହୋଇଥିଲା ।
ବୈଠକରେ ପ୍ରାରମ୍ଭରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ (ପ୍ରଶାସନ) ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ପ୍ରସ୍ତୁତି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର (ରାଜସ୍ଵ ), ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ, ଜିଲ୍ଲା ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ, ଏଲ.ଡି.ଏମ. ଶ୍ରୀ ସନଜ କୁମାର ସିଂ, ବିଭିନ୍ନ ଲାଇନ ଡିପାର୍ଟ ମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ