ଢେଙ୍କାନାଳ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲା ବାର୍ଷିକ ଯୋଜନା ତା. ୧୦.୦୨.୨୦୨୦ ରିଖ ରେ ଅନୁଷ୍ଠିତ ହୋଇଥିବା ଢେଙ୍କାନାଳ ଜିଲ୍ଲାର ୧୮ତମ ଜିଲ୍ଲା ଯୋଜନା କମିଟି ବୈଠକରେ ଔପଚାରିକ ଭାବେ ମଞ୍ଜୁରୀ ପ୍ରାପ୍ତ ହୋଇଥିବା ୧୩୦୯ କୋଟି ୪୩ ଲକ୍ଷ ୭୩ ହଜାର ଟଙ୍କାର ବ୍ୟୟ ବରାଦକୁ ପୂର୍ଣ୍ଣ ଅନୁମୋଦନ କରାଗଲା । ଏଥି ସହିତ ୨୦୨୦-୨୧ ପାଇଁ ୧୪୬୭ କୋଟି ୭୨ ଲକ୍ଷ ୧୩ ହଜାର ଟଙ୍କା ତଥା ୨୦ ୨୧-୨୨ ବର୍ଷ ପାଇଁ ୧୯୫୮ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କାର ବ୍ୟୟ ବରାଦ ୧୯ତମ ଜିଲ୍ଲା ଯୋଜନା କମିଟି ବୈଠକ ରେ ଅନୁମୋଦିତ ହୋଇଛି । ଉକ୍ତ ଯୋଜନାରେ କୃଷି ଓ କୃଷିଭିତ୍ତିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ଓ ବନ୍ୟାନିୟତ୍ରଣ, ବିଦ୍ୟୁତ ଯୋଗାଣ ଓ ଉନ୍ନତିକରଣ, ଶିଳ୍ପ ବିକାଶ, ଗମନା ଗମନ ପାଇଁ ରାସ୍ତା ଓ ପୋଲ, ଅର୍ଥନୈତିକ ସେବା ପ୍ରାଥମିକ ସ୍ବାସ୍ଥ୍ୟ ସେବା, ପ୍ରାଥମିକ ଶିକ୍ଷା, ଜଳଯୋଗ, ପରିମଳ ତଥା ସହରାଂଚଳ ବିକାଶ ପ୍ରଭୃତି ଅନେକ ଯୋଜନାରେ ବ୍ୟୟ ବରାଦ କରା ଯାଇଛି। ଭର୍ଟୁଆଲ ମାଧ୍ୟମରେ ଅନୁଷ୍ଠିତ ଉକ୍ତ ବୈଠକରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶକ୍ତି,ଶିଳ୍ପ,ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରାଷ୍ଟ୍ରମନ୍ତ୍ରୀ (ସ୍ବରାଷ୍ଟ୍ର), ଓଡିଶା ସରକାର ତଥା ଜିଲ୍ଲା ଯୋଜନା କମିଟି, ଢେଙ୍କାନାଳର ଅଧ୍ୟକ୍ଷ, ସମ୍ମାନନୀୟ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଅଧ୍ୟକ୍ଷତା କରିଥିଲେ ।ଏହି ବୈଠକରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଜିଲ୍ଲାରେ ପଂଚାୟତ ସ୍ତରୀୟ ଯୋଜନା ପ୍ରଣୟନ ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଓ ଉଦ୍ୟାନ କୃଷିକୁ ଅଗ୍ରାଧିକାର ଦେଇ ସାଧାରଣ ଲୋକଙ୍କ ହିତ ସାଧନା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସ୍ଵାଗତ ଭାଷଣ ଦେଇଥିଲେ । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠି ଜିଲ୍ଲା ଯୋଜନା ବିଷୟରେ ସଭାକୁ ଅବଗତ କରାଇବା ସହିତ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ର ପ୍ରସ୍ତାବିତ ଯୋଜନା ଟିଠାକୁ ଗୃହର ଅନୁମୋଦନ ପାଇଁ ଉପସ୍ଥାପିତ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ଯୋଗଦାନ ପୂର୍ବକ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ, ସଭ୍ୟ ଓ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଭର୍ଟୁଆଲ ମାଧ୍ୟମରେ ଯୋଗଦାନ କରି ଜିଲ୍ଲା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ