ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ପରି ସାମାଜିକ ବ୍ୟାଧୁ ରୋକିବା ଏବଂ ଶିକ୍ଷା ଓ କୌଶଳଜ୍ଞାନ ମାଧ୍ୟମରେ କିଶୋର, କିଶୋରୀଙ୍କ ଦକ୍ଷତା ବୃଦ୍ଧି ସକାଶେ ଜିଲ୍ଲାସ୍ତରରେ ଶିଶୁମାନଙ୍କ ପାଇଁ ଦିନଟିଏ ତଥା ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସର ତ୍ରୟମାସିକ ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ବୈଠକର ଉଦ୍ଦେଶ୍ୟ ଓ ଆବଶ୍ୟକତା ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲାରେ ଗତ ୩ମାସ ମଧ୍ୟରେ ୨୨ଟି ବାଲ୍ୟ ବିବାହ ରୋକାଯିବା ସହ କିଶୋର, କିଶୋରୀଙ୍କ ପାଇଁ ୧୯ଟି ଦକ୍ଷତା ବୃଦ୍ଧି ଶିବିର ଆୟୋଜନ କରାଯାଇ ୩୧ ଶିଶୁ ଶ୍ରମିକ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ କରାଯାଇଛି ।
୧୩୦ ୨ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି । ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୧୫ଅନାଥ ଶିଶୁଙ୍କୁ ସାମିଲ କରାଯାଇଥିବା ବେଳେ ୪୭ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଅଧାରୁ ପାଠ ଛାଡୁଥିବା ଶିଶୁଙ୍କ ପାଇଁ ବ୍ୟାକ୍ ଟୁ ସ୍କୁଲ କ୍ୟାମ୍ପେନ୍ କରାଯାଇଛି।
ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟକରି ଶିଶୁମାନଙ୍କର ଅଧିକାର ଓ ସୁରକ୍ଷାକୁ ସୁରକ୍ଷିତ କରାଇବେ ବୋଲି ଆଲୋଚନା ହୋଇଥିଲା । ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ବିଦ୍ୟାଳୟମୁହାଁ କରାଇବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ବାଲ୍ୟ ବିବାହ ରୋକିବା ପାଇଁ ପ୍ରତ୍ୟେକ ସ୍ଥାନରେ ଆଲୋଚନା ମାଧ୍ୟମରେ ସଚେତନ କରାଇବାକୁ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ସାମିଲ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପୋଲିସ୍ ବିଭାଗର କର୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ଅଧକାରୀ, ଜିଲ୍ଲା ଶିଶୁ କଲ୍ୟାଣ କମିଟିର ସଦସ୍ୟ, ଜିଲ୍ଲା ନିଯୁକ୍ତି ଅଧୁକାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବାଲ୍ୟ ବିବାହ ନିଷେଧ ଅଧିକାରୀ, ଚାଇଲ୍ଡ ଲାଇନ ଓ ସମାଜ ସେବା ଅନୁଷ୍ଠାନମାନେ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ