ଢେଙ୍କାନାଳ, ତା ୨୦.୦୪.୨୦୨୩–ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସହମତି ଭିତ୍ତିରେ ମହିମା ପୀଠରେ ନୀତିକାନ୍ତି ବିବାଦର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ଉଭୟ ପକ୍ଷରେ ସନ୍ନ୍ୟାସୀମାନେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ତ୍ୟାଗ ମନୋଭାବ ନେଇ ବିବାଦ ମୁକ୍ତ ହୋଇ ମହିମା ଗୋସାଇଁଙ୍କ ଉପାସନା କରିବାକୁ ନିବେଦନ କରିଛନ୍ତି । ମହିମା ଗାଦିର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
ସହମତି ଭିତ୍ତିରେ ଏବଂ ଆଇନ ଅନୁସାରେ ନୀତିକାନ୍ତି ବିବାଦର ସ୍ଥାୟୀ ସମାଧାନ ପାଇଁ ଉଭୟ ପକ୍ଷରେ ସନ୍ୟାସୀମାନେ ଯନୂବାନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ବିବାଦକୁ ବୃଦ୍ଧି ନ କରି ସହମତ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ଉପାସନା – ରୀତିନୀତି କରିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ସାଧୁ ସନ୍ଥ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପରସ୍ପର କୁ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିବାକୁ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ଅନୁରୋଧ କରିଛନ୍ତି ।
ଉଭୟ ବକଳଧାରୀ ଓ କୌପୁନୀଧାରୀଙ୍କ ପ୍ରମୁଖ ପାଗଳା ବାବା ଓ ରଘୁ ବାବା, ଉପୁଜିଥିବା ସମସ୍ତ ସମସ୍ୟାଗୁଡିକୁ ଅପୋଷ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ