ଗଁଦିଆ ବ୍ଲକ୍ କରମୂଳ ଗ୍ରାମପଂଚାୟତ ଅନ୍ତର୍ଗତ ଗଣେଶଖୋଲ ପ୍ରାକୃତିକ ପରିବେଶ ଏବଂ ବନାନୀ ପାହାଡପର୍ବତର ପାଦଦେଶରେ ଅବସ୍ଥିତ । ୧ ୨୩୧ ଖ୍ରୀ.ରେ ରାଜା ବିଦ୍ୟାଧର ହରିସିଂହ ଏହାକୁ ପ୍ରତିଷ୍ଠା କରିଥିଲେ । ୭ ଏକର ୩୦ ଡେସିମିଲ ପରିମିତି ଜମିରେ ପ୍ରଥମେ ମଙ୍ଗଳମୂତୀ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରାଯାଉଥିଲା । ଯାହାଫଳରେ ସେହି ଦିନଠାରୁ ଉକ୍ତ ସ୍ଥାନର ନାମ ଗଣେଶଖୋଲା ନାମରେ ପରିଚିତ । ଶ୍ରଦ୍ଧାଳୁ ଭକ୍ତଙ୍କ ସ୍ଵ ଶ୍ରଦ୍ଧା ହିଁ ଠାକୁରଙ୍କର ପାଥେୟ ହୋଇଥିଲା । ପର୍ଯୟାୟକ୍ରମେ ସେଠାରେ ପୂଜାର୍ଚ୍ଚନା କରିବା ବଢିଥିଲା । ମହନ୍ତ ବନବିହାରୀ ଦାସ ମହାରାଜ ସେଠାରେ ଆଶ୍ରମ କରି ମର୍ଯ୍ୟଦାପୁରଷୋତମ ଶ୍ରୀରାମ ଓ ଶଙ୍କଟ ମୋଚନ ହନୁମାନଙ୍କୁ ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା ବଢାଇବା ସହିତ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ମଧ୍ୟ ବଢିଥିଲା ।
ତତ୍କାଳୀନ ବିଧାୟକ ସ୍ବର୍ଗତ ହଳଧର ମିଶ୍ରଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଅଂଚଳର ପାରିପାର୍ଶୀକ ସ୍ଥିତି ବ୍ୟବସ୍ଥାକୁ କିଂଚିତ୍ ମାତ୍ରାରେ ବର୍ଦ୍ଧିତ କରାଯାଇଥିଲା । ଯଦିଓ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ଅଂଚଳବାସୀଙ୍କ ଦ୍ଵାରା ମର୍ଯ୍ୟାଦା ପ୍ରାପ୍ତ ହୋଇଥିଲା, ପରବର୍ତ୍ତୀ ସମୟରେ ଏହାର ସ୍ଥିତାବସ୍ଥା ହୋଇ ରହିଛି । ମହନ୍ତ ମହାରାଜ ଏହାକୁ ଉପଲବ୍ଧି କରି ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଆଜି ଆମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ରକ୍ଷାକରି ସାଂସଦ ଶ୍ରୀ ସାହୁ ସେଠାରେ ପହଁଚିବା ପରେ ଶତାଧିକ ଜନସମାଗମ ହୋଇଥିଲା । ସେଠାରେ ଉପସ୍ଥିତ ଭକ୍ତ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସାଂସଦ ଶ୍ରୀ ସାହୁ ସେ ଅଂଚଳକୁ ପରିଦର୍ଶନରେ ଆସିବାର ଅଭିପ୍ରାୟ ଜଣାଇଥିଲେ । ମହନ୍ତ ମହାରାଜ ଭକ୍ତଙ୍କ ଉପସ୍ଥିତିରେ ସାଂସଦଙ୍କୁ ପୀଠର ମହାତ୍ମା ଏବଂ ପାରିପାର୍ଶିକ ଉନ୍ନୟନ ସଂପର୍କରେ ଅବଗତ କରାଇବା ସହିତ ସେଠାରେ ପାନୀୟ ଜଳ, ସୋଲାର ଲାଇଟ୍ ଏବଂ ଚତୁଃପାର୍ଶକୁ ପ୍ରାଚୀର ନିର୍ମାଣ କରାଇବା ପାଇଁ ଜଣାଇଥିବାବେଳେ ଏହି ପରିବେଶକୁ ସରକାରଙ୍କ ନିକଟରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଅନୁରୋଧ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ତଥା ସମାଜସେବୀ ସୁଧାଂଶୁ ଶେଖର ରାଉତ ମହନ୍ତ ମହାରାଜାଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ । ସମସ୍ତ ସମସ୍ୟା ଶୁଣିସାରିଲା ପରେ ସାଂସଦ ଶ୍ରୀ ସାହୁ ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ, ମଠ ପରିସୀମା ସାଢେ ୭ ଏକର ବାହାରେ ବନ୍ୟଜନ୍ତୁଙ୍କ ଖାଦ୍ୟପାନୀୟ ବ୍ୟବସ୍ଥା ପ୍ରଥମେ କରାଯିବା ଆବଶ୍ୟକ । ସ୍ଥାନୀୟ ଲୋକଙ୍କୁ ଏହି ଯାଗାରେ ସଂପୃକ୍ତି କରିବା ନିତ୍ୟାନ୍ତ ଦରକାର । ପ୍ରଥମେ ଆଶ୍ରମକୁ ଭଲପାଉଥିବା ଲୋକଙ୍କ ତାଲିକାଭୁକ୍ତ କରାଯାଉ । ସେମାନଙ୍କ ଅନୁଦାନରେ ଏହି ଜାଗାରେ ପର୍ଯ୍ୟାୟକ୍ରମେ ପାଚେରୀ ନିର୍ମାଣ, ପାନୀୟ ଜଳ ଏବଂ ସୋଲାର ଲାଇଟ୍ ବ୍ୟବସ୍ଥା ନିଶ୍ଚିତ ଭାବେ କାର୍ଯ୍ୟକାରୀ ହୋଇଯିବ । ଏହାବ୍ୟତୀତ ସାଧାରଣ ଜନତାଙ୍କ ପ୍ରଚେଷ୍ଟାରେ ମଠ ପରିସର ଭିତରେ ଔଷଧୀୟ ବୃକ୍ଷରୋପଣ, ଅନ୍ୟାନ୍ୟ ଉପଯୋଗୀ ବୃକ୍ଷ ମଧ୍ୟ ପରିବେଶକୁ ଆହୁରି ସୁନ୍ଦର କରି ଗଢି ତୋଳିବ । ଏହି ସମସ୍ତ କାର୍ଯ୍ୟରେ ସମସ୍ତଙ୍କୁ ଜଡିତ କଲେ ଉନ୍ନତି ସମ୍ଭବ । ଏଥିପାଇଁ ସମସ୍ତେ ପ୍ରାଥମିକ ସ୍ତରରେ ଗୁରୁତ୍ବ ଆରୋପ କରିବା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଥିଲେ । ଏହି ଆଲୋଚନା ବେଳେ ସ୍ଥାନୀୟ ଅଂଚଲର ବୁଦ୍ଧିଜୀବୀ ପବିତ୍ର ମୋହନ ନାୟକ, ପୋରୁହଖୋଜ ସରପଂଚ ଶୁଭଦର୍ଶିନୀ ପରିଡା, ଗଦାଶିଳା ଗ୍ରାମପଂଚାୟତ ସମିତିସଭ୍ୟ ଶେଖର ସେଠୀ, ପୂର୍ବତନ ସରପଂଚ ଫଚାନନ ସ୍ୱାଇଁ, ବେଣୁଧର ପାତ୍ର, ଅନ୍ତର୍ଯ୍ୟାମୀ ମଲ୍ଲିକଙ୍କ ବ୍ୟତୀତ ଢେଙ୍କାନାଳର ପୂର୍ବତନ କାଉନ୍ସିଲର ରୁଦ୍ରାନ୍ତ ଦଳେଇ, ଲିଙ୍ଗରାଜ ସାହୁ, ଅନୁସୂଚିତ ଜାତି ଓ ଜନଜାତିର ସଭାପତି କୈଳସ ଚନ୍ଦ୍ର ନାୟକ, ଯୁବ ବିଜେଡି ସଂପାଦକ ଅବିନାଶ ଜେନା, ଆଇଜୀବୀ ପ୍ରଦ୍ୟୁମ୍ନ ନାୟକ, ପ୍ରତାପ ଦାସ, ଅକ୍ଷୟ କୁମାର ନନ୍ଦ, ଅଭୟ ନାୟକ, ରଶ୍ମିନାରାୟଣ ସାହୁ, ଅକ୍ଷୟ ସାହୁ, ଦୁଷ୍ମନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ- ବିଜ୍ଞାନ ମହାନ୍ତି