ଢେଙ୍କାନାଳ : ଜିଲ୍ଲାରେ ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାରେ ୪୨ଟି ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ସେଠାରେ ଲୋକଙ୍କୁ ସଚେତନ କରିବା ପାଇଁ ସୂଚନା
ଫଳକ ଲଗାଯିବା ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।
କଲେଜ ବାଇପାସ୍ ଛକ, କୋରିଆଁ ବାଇପାସ୍ ଛକ ଓ
ଏହା ମଧ୍ୟରେ ଥିବା ମହିଷାପାଟ ବାଇପାସ୍ ଛକ ଓ
କଣ୍ଟାନାଳୀ ବାଇପାସ୍ ଛକ ଠାରେ ଦୁର୍ଘଟଣା ରୋକିବା
ସହ ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ
ସାଇନେଜ୍ ବୋର୍ଡ, ସ୍ପିଡ୍ ଲିମିଟ୍ ବୋର୍ଡ ଲଗାଯିବା ସହ
ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବାକୁ
ଆଲୋଚନା ହୋଇଥିଲା ।
ଖାଲ ହୋଇ ନଷ୍ଟ ହୋଇଥିବା ରାସ୍ତା ଗୁଡିକର ଆବଶ୍ୟକ ମରାମତି ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଜିଲ୍ଲାର ସମସ୍ତ ଛକସ୍ଥାନରେ ଦୁର୍ଘଟଣା ରୋକିବା ପାଇଁ ସାଇନେଜ ବୋର୍ଡ, ରମ୍ବଲର ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଶୀଘ୍ର ଶେଷ କରିବାକୁା ପରାମର୍ଶ ଦିଆଯାଇଛି । ଧନଜୀବନକୁ ରକ୍ଷା କରିବା ପାଇଁ ପ୍ରମୁଖ ଛକ ସ୍ଥାନମାନଙ୍କରେ ପୋଲିସ୍, ଆଞ୍ଚଳିକ ପରିବହନ ମିଳିତ ଭାବେ ତନଖି କରିବା, ମାଲ ବୋଝେଇ ଗାଡି ଗୁଡିକ ଉପରେ ଅଧିକ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ୫୫ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସଦର ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡିଏସ୍ପି ଶ୍ରୀମତୀ ହରପ୍ରିୟ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝି, ଜିଲ୍ଲା ସଡକ ସୁରକ୍ଷା କମିଟି ସଦସ୍ୟ ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ, ଡିଷ୍ଟ୍ରିକ୍ଟ ରାପିଡ୍ ରେସ୍ପନ୍ସ ଟିମର ସଂଯୋଜକ ତଥା ଜିଲ୍ଲା ରେଡକ୍ରସ୍ ସୋସାଇଟ ଉପସଭାପତି ବିରଞ୍ଚି ନାରାୟଣ ପାଣି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ