ଢେଙ୍କାନାଳ :ଜିଲାସ୍ତରୀୟ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ନିରାକରଣ ପାଇଁ ଟାକ୍ସଫୋର୍ସ ସମନ୍ୱୟ କମିଟି ବୈଠକ ଜିଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ବୈଠକରେ ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ବ୍ୟାପକ ଜନସଚେତନତା ଓ ସତର୍କତା ଅବଲମ୍ବନ କଲେ ଡେଙ୍ଗୁ ଓ ମ୍ୟାଲେରିଆକୁ ନିୟନ୍ତ୍ରଣ କରିହେବ । ଏଥିସହ ଏଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସ୍କୁଲ ମାନଙ୍କରେ କିପରି ଶିକ୍ଷକ ଓ ପିଲାମାନଙ୍କୁ ସଚେତନ କରିବା ସହିତ ସ୍କୁଲ ଚାରିପାଖରେ ମଶା ଲାର୍ଭା ନଷ୍ଟ କିପରି ହେବ ସେ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀଙ୍କୁ ଆଦେଶ ଦେଇଥିଲେ । ଶିଳ୍ପସଂସ୍ଥାମାନେ ସେମାନଙ୍କ ପ୍ଲାଣ୍ଟ ପରିସର ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ମ୍ୟାଲେରିଆ ଓ ଡେଙ୍ଗୁରୋଗ ସଚେତନତା ନେଇ ହୋଡ଼ିଂ ଓ ବ୍ୟାନର ଆଦି ଲଗାଇବାସହ ପତ୍ରିକା ମାଧ୍ୟମରେ କର୍ମଚାରୀଙ୍କୁ ସଚେତନ କରିବା, ଶିଳ୍ପସଂସ୍ଥା ନିକଟବର୍ତୀ ଗ୍ରାମରେ ସଚେତନ କାର୍ଯ୍ୟକ୍ରମ, କୀଟନାଶକ ଔଷଧ ସିଞ୍ଚନ ଆଦି କରିବାକୁ ଶିଳ୍ପସଂସ୍ଥା କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳମାନଙ୍କରେ ଡ୍ରେନ ଗୁଡ଼ିକରେ ମଶାତେଲ ଠିକ ଭାବରେ ପକାଇବା ଏବଂ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳବାସୀଙ୍କୁ ଏହି ରୋଗ ପ୍ରତି ସଚେତନ କରିବା ଉପରେ ଏକଜିକ୍ୟଟିଭ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ଲକ୍ଷଣ, ନିରାକରଣ ଓ ମଶା ନାଶ କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ଜିଲାରେ ଏବେ ଡେଙ୍ଗୁର ପ୍ରକୋପ ନଥିବା ସେ କହିଥିଲେ । ଗତ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ଜିଲାରେ କୌଣସି ଜଣେ ହେଲେ ଡେଙ୍ଗୁରେ ପ୍ରାଣ ହରାଇ ନାହାନ୍ତି ଓ ଗତ ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ଜିଲାରେ କୌଣସି ଜଣେ ହେଲେ ମ୍ୟାଲେରିଆ ରୋଗରେ ପ୍ରାଣ ହରାଇନାହାନ୍ତି ବୋଲି ସେ ସୂଚନା ଦେଇଥିଲେ ।
ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନିଜ ଏନସେଫାଲାଇଟିସ ଆକ୍ରାନ୍ତ ସମସ୍ତ ରୋଗୀମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ ଅଟେ ବୋଲି କହିଥିଲେ । ଘରୋଇ ଚିକିତ୍ସକ, କ୍ଲିନିକ, ନର୍ସିଂହୋମ, ନିଦାନକେନ୍ଦ୍ର, ବେସରକାରୀ ଡାକ୍ତରଖାନାକୁ ଏନେଇ ଆଦେଶନାମା ଜାରି ହୋଇଛି ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ନିରାକରଣ ଓ ଜିଲାର ଆକ୍ସନ ପ୍ଲାନ ବିଷୟରେ ସୂଚନା ଦେଇଥିଲେ ।
ଗତ ୨୦୧୩ରେ ୪୧୬ ଜଣ ଢେଙ୍କାନାଳ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୧୪ରେ ୨୭୪ ଜଣ, ୨୦୧୫ରେ ୪୪ ଜଣ, ୨୦୧୬ରେ ୧୧୭ ଜଣ, ୨୦୧୭ରେ ୫୧ ଜଣ, ୨୦୧୮ରେ ୬୧ ଜଣ, ୨୦୧୯ରେ ୯୬ ଜଣ, ୨୦୨୦ରେ ୫ ଜଣ, ୨୦୨୧ରେ ବର୍ତମାନସୁଦ୍ଧା ୨୪ ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।
ଏହି ୨୪ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱର ଓ ପୁରୀରୁ ଆସିଛନ୍ତି ବୋଲି ସୂଚନା ଦେଇଥିଲେ । ୨୦୨୧ ମସିହା ଜୁଲାଇ ମାସ ମଧ୍ୟରେ ୯୮ହଜାର ୧୫୨ଜଣଙ୍କର ରକ୍ତ ପରୀକ୍ଷା କରି ୨୩ଜଣ ଲୋକ ମ୍ୟାଲେରିଆ ରୋଗରେ ଚିହ୍ନଟ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ।
ଏହି ରୋଗରେ ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେବା, ଅନେକ କ୍ଷେତ୍ରରେ ବାନ୍ତି ଓ ମୁଣ୍ଡ ବିନ୍ଧା ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏହି ଲକ୍ଷଣ ଦେଖାଗଲେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ୟ କର୍ମୀ ଓ ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ପାଇଁ କହିଥିଲେ ।
ଏହି ରୋଗ ଠାରୁ ଦୂରରେ ରହିବା ପାଇଁ ଘର ଚାରିପାଖରେ ପାଣି ୭ ଦିନ ଜମା ହେବା ପାଇଁ ଦେବାନାହିଁ, ପାଣି ରଖିଥିବା ପାତ୍ର, ଟାଙ୍କି ଇତ୍ୟାଦି ୨-୩ ଦିନରେ ଥରେ ସଫାକରି ପାଣି ବଦଳାଇବେ ବୋଲି କହିଥିଲେ । ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ ଯୋଗଦେଇ ମଶାରୀ ବ୍ୟବହାର ଓ ଲୋକମାନେ କିପରି ସଚେତନ ହେବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଜାତୀୟ ସ୍ୱାସ୍ୟ ମିଶନର ଜିଲା କାର୍ଯ୍ୟକ୍ରମ ପରିଚାଳକ ସୋନାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କୁ ସହଯୋଗ ପାଇଁ କହିଥିଲେ ।
ଏହି ବୈଠକରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଷ ଚନ୍ଦ୍ର ସାହୁ, ହିନ୍ଦୋଳ ଉପଜିଲାପାଳ ଉଦୟ କୁମାର ମହାପାତ୍ର, ଡା. ଜୟକୃଷ୍ଣ ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ହିମାଂଶୁ ଶେଖର ହେମ୍ବ୍ରମ, ସହକାରୀ ଜିଲ୍ଲା ଭେକ୍ଟରବାହିତ ରୋଗ ଅଧିକାରୀ ଗଗନ ବିହାରୀ ସାହୁ, ଜିଲ୍ଲା ବିତ ପରିଚାଳକ, ଜିଲ୍ଲା ମଙ୍ଗଳ ଅଧିକାରୀ, ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ, ବିଜ୍ଞାପିତ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସହକାରୀ ଜିଲା ଶିକ୍ଷା ଅଧିକାରୀ, ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଓ ସୂଚନା ଅଧିକାରୀ, ଶିଳ୍ପସଂସ୍ଥା ଅନୁଷ୍ଠନ୍ତର କର୍ମକର୍ତା, ମେଡ଼ିକାଲ ଅଫିସର, ବ୍ଲକ ଜନସ୍ୱାସ୍ଥ୍ୟ ଓ ସୂଚନା ଅଧିକାରୀ, ବ୍ଲକ ପ୍ରୋଗ୍ରାମ ପରିଚାଳକ, ପ୍ରମୂଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ