ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ଉଚିତ ମୁକାବିଲା ନିମନ୍ତେ ଜିଲ୍ଲା ବନଖଣ୍ଡ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ବି ଡି ଓ, ତହସିଲଦାର, ଡି ପି ଓ, ଅଗ୍ନିଶମ ଅଧିକାରୀ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ପାନୀୟ ଜଳ ଯୋଗାଣର ଯନ୍ତ୍ରୀ, ସମସ୍ତ ନିର୍ବାହୀ ଅଧିକାରୀମାନଙ୍କ ସହିତ ଭରଚୁଆଲ ମୋଡରେ ଆଲୋଚନା କରିଛନ୍ତି । ଜିଲ୍ଲାର ସମସ୍ତ ବି ଡି ଓ ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ଉଚିତ ମୁକାବିଲା ନିମନ୍ତେ ବୈଠକ ଡାକି ଆନୁସାଙ୍ଗିକ ବ୍ୟବସ୍ଥା ସହ ପୂର୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାଳ ନର୍ଦମା ଗୁଡିକୁ ସଫା କରିବାକୁ, ଜଳମଗ୍ନ ହେଉଥିବା ଖାଲୁଆ ଅଞ୍ଚଳ ଚିହ୍ନଟ କରି ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ-ବୃଦ୍ଧା, ରୋଗୀମାନଙ୍କୁ ଆବଶ୍ୟକ ବହୁମୂଖୀ ଆଶ୍ରୟ ସ୍ଥଳୀ, ଟି ଏମ ସି, ସ୍କୁଲ ଆଦି ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିବା ସହିତ ଶୁଖୁଲା ଖାଦ୍ୟ, ଔଷଧ, ବିଦ୍ୟୁତ ଯୋଗାଣ ପାଇଁ ଜେନସେଟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳର ଅସୁରକ୍ଷିତ କଚା ଗୃହରେ ରହୁଥିବା ଲୋକ, ନିରାଶ୍ରୟ, ବିକଳାଙ୍ଗ, ଭିକାରି, ବାସହୀନମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳଗୁଡିକରେ ରଖିବା ବିହିତ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଶ୍ରୟ ସ୍ଥଳୀଗୁଡିକରେ ଆଣ୍ଟିଜେନ ଟେଷ୍ଟ କରାଯିବ ସହିତ ସାମାଜିକ ଦୂରତା, ମାସ୍କ ପରିଧାନ, ପରିଷ୍କାର ପରିଚ୍ଛନତା ପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି । ଚିଡ଼ିଆଖାନାରେ ଥିବା ପଶୁ ପକ୍ଷୀମାନଙ୍କ ନିରାପତ୍ତା ପ୍ରତି ସଜାଗ ରହିବା, ଖାଦ୍ୟର ସୁବ୍ୟବସ୍ଥା ସହିତ ଜଙ୍ଗଲ ରାସ୍ତାକୁ ସଫା କରିବାର ବ୍ୟବସ୍ଥା କରିବାକୁ ସେ ବନଖଣ୍ଡ ଅଧିକାରୀଙ୍କୁ କହିଥିଲେ । ରାସ୍ତା ଘାଟ ପରିଷ୍କାର ନିମନ୍ତେ ପୂର୍ତ୍ତ ବିଭାଗ ଜେ ସି ବି ର ବ୍ୟବସ୍ଥା କରିବାକୁ ମଧ୍ୟ କହିଲେ । ବାତ୍ୟାର ଆଗୁଆ ସୂଚନା ନିମନ୍ତେ ବ୍ଲକ, ସବ ଡିଭିଜନ, ଜିଲ୍ଲା ସଦର ମହକୁମାରେ କଣ୍ଟ୍ରାଲ ରୁମ କାର୍ଯ୍ୟ କରିବା । ବାତ୍ୟା ସମୟରେ ଅଗ୍ନିଶମ ଓ ଆରକ୍ଷୀ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ସମ୍ପୂର୍ଣ ସଜାଗ ରହି ବାତ୍ୟା ପରେ ତୁରନ୍ତ ବିଦ୍ୟୁତ ଯୋଗାଣ, ଯୋଗାଯୋଗର ଗଛ କାଟି ରାସ୍ତା ସଫା କରିବା ନିମନ୍ତେ ବିଭାଗୀୟ ଅଧୁକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରେ କ୍ଷତି ଗ୍ରସ୍ତ ମାନଙ୍କୁ ତୁରନ୍ତ ଆବଶ୍ୟକ ରିଲିଫ, ପଲିଥିନ ଆଦି ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ