ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ ଏବଂ ଜିଲ୍ଲା ହକି ସଂଘର ମିଳିତ ସହଯୋଗରେ ରବିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ସକାଳ ସାଢେ ୭ଟାରେ ହକି କିମ୍ବଦନ୍ତୀ ମେଜର ଧାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଶୋଭାଯାତ୍ରାରେ ହକି ଖେଳାଳିମାନେ ସହର ପରିକ୍ରମା କରିଥିଲେ। ମିନି ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଲେ, ଆଗାମୀ ଦିନରେ ଢେଙ୍କାନାଳରେ ଏକ ହକି ହବ୍ କରାଯିବାର ଲକ୍ଷ୍ୟ ରହିଛି। କ୍ରୀଡ଼ା ଜିରିଭୂମି ବିକାଶ ସହିତ ଆବଶ୍ୟକ ଉପକରଣ ପ୍ରଦାନ କରାଯିବା ସୁନ୍ଦରଗଡ଼ ଭଳି ଢେଙ୍କାନାଳ ହକିକୁ ଗୌରବାନ୍ବିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଉରକେଲା କ୍ରୀଡ଼ା ଛାତ୍ରାବାସର ବରିଷ୍ଠ ହକି ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ, ବିଜୟ କୁମାର ଲାକ୍ରା, ସୁନ୍ଦରଗଡ଼ ସେଲ୍ ହକି ଏକାଡେମୀର ପ୍ରଶିକ୍ଷକ ରାଜେନ୍ଦ୍ର ସେନି ପ୍ରମୁଖ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ସବୁସ୍ତରରେ ଉଦ୍ୟମ ଜରୁରୀ ବୋଲି ମତ ରଖିଥିଲେ। ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ଗିରିଜାକାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧାନଚାନ୍ଦଙ୍କ ବ୍ୟକ୍ତିତ୍ବ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଢେଙ୍କାନାଳ-ଜଙ୍ଗିରା ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍. ଅନୁଷ୍ଠିତ ହୋଇଥିଲା । ଏହାପରେ ମହିଳା-ବାଳକ ଦଳ ମଧ୍ୟରେ ଅନ୍ୟ ୨ଟି ମ୍ୟାଚ୍ ଖେଳାଯାଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ନଳିନୀ କୁମାର ଦାସ, ହକି ସଂଘ ସମ୍ପାଦକ ପ୍ରଣବ କୁମାର ଷଡ଼ଙ୍ଗୀ, କ୍ରୀଡ଼ା ସଂଘ ସହ ସମ୍ପାଦକ ଗୌରାଙ୍ଗ ଚରଣ ସେଠୀ, ବରିଷ୍ଠ ପ୍ରଶିକ୍ଷକ ଗିରିଧାରୀ ସାମଲ, କ୍ରୀଡ଼ାବିତ୍ ପ୍ରେମାନନ୍ଦ ବିହାରୀ, ଗଦାଶିଳା ସମିତିସଭ୍ୟ ଶେଖରଚନ୍ଦ୍ର ସେଠୀ, ପ୍ରଶିକ୍ଷକ ସାଇ ପ୍ରସାଦ ଦଳେଇ, ବାବୁଲା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ