ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଥିବାର ଘଟଣା ସାମ୍ନାକୁ ଆସିଛି | ବୁଥମାନଙ୍କରେ ଖବର ପ୍ରସାରଣ ସମୟରେ ସାମ୍ବାଦିକମାନେ କିଛି କୁଚକ୍ରାନ୍ତ ଗୋଷ୍ଠୀଙ୍କ ରୋଷର ଶିକାର ହେଉଛନ୍ତି | ଯାହାର ଉଦାହରଣ ଗତ ରବିବାର ଦିନ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା | ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆୟୋଜିତ ହେଉଥିବା ବେଳେ ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ୨ନମ୍ବର ବୁଥ ଠାରେ କିଛି ଦୁର୍ବୃତ୍ତ ବୁଥ ରିଗିଙ୍ଗ କରୁଥିବାର ଖବର ପାଇ ସାମ୍ବାଦିକମାନେ ସେଠାରେ ପହଞ୍ଚି ଖବର ପ୍ରସାରଣ କରିଥିଲେ | ତେବେ ଏହାକୁ ଦେଖି ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ | ତେବେ ସେମାନେ ଅର୍ଗସ ନିୟୁଜ ଚ୍ୟାନେଲର ସାମ୍ବାଦିକ ଗୁଲସାହାନୱାଜ ଖାନଙ୍କୁ ଅଧିକ ମାଡ଼ ମାରିଥିଲେ |
ଏହାସହ ଦୁର୍ବୃତ୍ତମାନେ କନକ ଟିଭିର ବିଜୟ ସାହୁ ଓ କଳିଙ୍ଗ ଟିଭିର ଦେବାଶିଷ ସାହୁଙ୍କୁ ମଧ୍ୟ ମାଡ଼ ମାରିଥିଲେ | ତେବେ ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ରାଜ୍ୟ ସରକାର ବାରମ୍ବାର କହୁଥିଲେ ସୁଦ୍ଧା ଏଭଳି ଘଟଣା ପ୍ରତ୍ୟେକ ସମୟରେ ଲୋକଲୋଚନକୁ ଆସିବା ଗଣତନ୍ତ୍ରକୁ ହତ୍ୟା କରିବା ସଙ୍ଗେ ସମାନ | ଏଣୁ ନିର୍ବାଚନ ସମୟରେ ସାମ୍ବାଦିକ ଓ ଅନ୍ୟ କର୍ତ୍ତବ୍ୟରତ କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବିଭିନ୍ନ ଅନୁଷ୍ଠାନ ଓ ସଂଘ ତରଫରୁ ଦାବି ଉଠିଛି |
ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି | ଯେଉଁ ବ୍ୟକ୍ତିମାନେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରଦ୍ୟୁମ୍ନ ରଥ, ସାଧାରଣ ସମ୍ପାଦକ ସତ୍ୟ ସ୍ୱରୂପ ଦାସ, କାର୍ଯ୍ୟକାରୀ ସଭାପତି ରତନ ନାୟାର, ଅଥୟ ସାହୁ, ବିଶ୍ୱନାଥ ବେହେରା, ଦୀପକ ପ୍ରସାଦ ପଟ୍ଟନାୟକ, ଗଙ୍ଗାଧର ପାତ୍ର, ଅରବିନ୍ଦ ସାହୁ ଓ ଅମାନି ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି |
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ