ଆସୁଛି ବାତ୍ୟା ୟସ୍ । ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ ହେବ ପବନ । ମଝିରେ ମଝିରେ ୧୮୫ କିମି ବେଗରେ ପବନ ମାଡ଼ କରି ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳକୁ ମୋଡ଼ି ମକଚି ଦେବ ୟସ୍ । ଢେଙ୍କାନାଳ ଜିଲ୍ଲାକୁ ୟୋଲୋ ସଙ୍କେତ ।ବାତ୍ୟାର କେନ୍ଦ୍ର ବଳୟ (ସର୍ବୋଚ୍ଚ ବେଗ ପବନ)ର ବ୍ୟାସାର୍ଦ୍ଧ ପ୍ରାୟ ୬୦ କିଲୋମିଟର ରହିବ । ଏହାର ଅର୍ଥ ହେଉଛି ସମୁଦ୍ରରେ ଥିଲେ ବି ସ୍ଥଳଭାଗରେ ପ୍ରଳୟଙ୍କରୀ ପବନ (୧୮୫ କିଲୋମିଟର ଯାଏ) ମାଡ଼ ହେବ ।ମଙ୍ଗଳବାର ବିଳମ୍ବିତ ରାତିରୁ ପ୍ରକୋପ ବଢ଼ାଇ ଚାଲିବ । ବୁଧବାର ସକାଳୁ ଚଳାଇବ ତାଣ୍ଡବ । ଭୟାନକ ପବନ ମାଡ଼ରେ କ୍ଷତାକ୍ତ କରିଦେବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ।ୟସ୍ର ସମ୍ଭାବ୍ୟ ଗତିପଥ, ସ୍ଥିତି ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାରମ୍ବାର ବଦଳାଉଛି ଆକଳନ । ପ୍ରଥମେ ଅନୁମାନ କରାଯାଉଥିଲା, ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ମାତ୍ର ଆଇଏମଡିର ତାଜା (ରାତି ୧୦ଟା ୧୫ ଜରି ପୂର୍ବାନୁମାନ) ଆକଳନରୁ ଜଣାପଡ଼ୁଛି, ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ରାତି ପର୍ଯ୍ୟନ୍ତ ତାଣ୍ଡବ କରିବ ୟାସ୍ । ଅକ୍ଷାଂଶ ଓ ଦ୍ରାଘିମା ସ୍ଥିତି ସହ ଆଇଏମ୍ଡି ଦେଇଥିବା ଆକଳନ କହୁଛି, ସମ୍ଭବତଃ ୟସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବୁଧବାର ମଧ୍ୟାହ୍ନ ପୂର୍ବରୁ ବାଲେଶ୍ୱର ସଦର ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବ । ସେତେବେଳେ ପବନ ବହୁଥିବ ୧୫୫-୧୮୫ କିମି ବେଗରେ । ବାଲେଶ୍ୱର ସଦର, ଚାନ୍ଦିପୁର, ସୋର, ଇଞ୍ଚୁଡ଼ି ଓ ସହରରେ ପ୍ରଚଣ୍ଡ ପ୍ରଭାବ ଦେଖାଇବ ୟସ୍ । ଦିନ ତମାମ ପୂରା ତୀବ୍ର ବେଗରେ ପ୍ରଳୟ ଭିଆଇବ । କଚ୍ଚା ଘର, ଆଜବେଷ୍ଟସ ଘର, ଚାଳ ଛପର, ଦୁର୍ବଳ କୋଠାବାଡ଼ିକୁ ମାଟିରେ ମିଶାଇ ଦେଇପାରେ । ବଡ଼ବଡ଼ ଗଛ, ବିଜୁଳି ଖୁଣ୍ଟକୁ ମୋଡ଼ି ଭାଙ୍ଗି ରାସ୍ତାରେ ଗଡ଼ାଇ ଦେବ । ବିଗାଡ଼ି ଦେଇପାରେ ବାଲେଶ୍ୱରର ଚେହେରା ।୨୭ ତାରିଖ ସକାଳ ସାଢ଼େ ୫ଟାବେଳକୁ ବାତ୍ୟା ପ୍ରକୋପ ଖସିବ । ଆଇଏମ୍ଡି ଆକଳନ କହୁଛି, ବୁଧବାର (୨୬) ତାରିଖ ସକାଳ ବେଳକୁ ଏହା ଉତ୍ତର ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳ ପାଖରେ ଥିବ । ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ପାଖାପାଖି ସ୍ଥଳଭାଗ ଅତିକ୍ରମ କରିପାରେ । ବର୍ଷା ମଧ୍ୟ ପ୍ରବଳରୁ ପ୍ରବଳତର ହେବା ଆଶଙ୍କା ରହିଛି । ତେବେ ଡକ୍ଟର ପଶୁପାଳକ କହିଛନ୍ତି, ୨୫ ସନ୍ଧ୍ୟାରୁ ୨୭ ସକାଳ ଯାଏଁ ପବନର ପ୍ରଭାବ ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ଘଣ୍ଟା ପ୍ରତି ୧୬୦ କିମି ଓ ସର୍ବାଧିକ ୧୮୦ କିମି ବେଗରେ ପବନ ମାଡ଼ ହୋଇପାରେ । ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜରେ ୮୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ଆଶଙ୍କା ଅଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର ଓ କେନ୍ଦୁଝରରେ ସମୁଦାୟ ୨୦୦ରୁ ୩୫୦ ମିମି ବର୍ଷା ଆଶଙ୍କା ଅଛି । ପୁରୀ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ସମୁଦାୟ ୧୫୦ରୁ ୨୦୦ ମିମି ବର୍ଷା ହୋଇପାରେ । ଭୁବନେଶ୍ୱରରେ ହାରାହାରି ୨୦୦ ମିମି ବର୍ଷିପାରେ ୟସ୍ ।
ଆଜିଠୁ ବାତ୍ୟା ପ୍ରଭାବ ଉପକୂଳ ଓଡ଼ିଶାରେ ପଡ଼ିଛି । ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ଝିପିଝିପି ବର୍ଷା ଓ ଅସରାଏ ଲେଖାଏଁ ବର୍ଷା ଚାଲିଛି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ