ଜିଲ୍ଲାରେ ସାମୂହିକ ଫାଇଲେରିଆ ଔଷଧ ସେବନ ଦିବସ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଡିଇସି ଓ ଆଲ୍ବେଣ୍ଡାଜଲ ବଟିକା ଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ଫେବୃୟାରୀ ୧୦ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଦିବସମାନଙ୍କରେ ସମସ୍ତଙ୍କୁ ଏହି ବଟିକା ଖାଇ ସାରିବା ପରେ ଖାଇ ଆମ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି , ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟଠାରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ଏହି ଫାଇଲେରିଆ ବଟିକା ସେବନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଡିଇସି ଓ ଆଲ୍ବେଣ୍ଡାଜଲ ବଟିକା ଖାଇଥିଲେ ।
ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ସାମୂହିକ ଔଷଧ ସେବନ କରାଯାଇଛି । ଏହି ବଟିକା ଆଶା, ଅଙ୍ଗନୱାଡି କର୍ମୀ ଓ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀ ଦ୍ୱାରା ଘରକୁ ଘର ବୁଲି ଓ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଯାଇ ଏହି ଫାଇଲେରିଆ ଔଷଧ ସେବନ କରାଇବେ । ଏହି ବଟିକା ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଦୀର୍ଘଦିନ ଧରି ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ।
୨ରୁ ୫ବର୍ଷ ଶିଶୁ ଖାଦ୍ୟ ଖାଇ ସାରି ଡିଇସି ୧୦୦ମିଲିଗ୍ରାମର ୧ଟି ବଟିକା ଓ ଆଲ୍ବେଣ୍ଡାଜଲ ୪୦୦ମିଲିଗ୍ରାମର ଗୋଟିଏ ବଟିକା ଖାଇବେ । ୬-୧୪ବର୍ଷ ୧୦୦ମିଲିଗ୍ରାମର ବିଇସି ବଟିକା ଓ ୪୦୦ ମିଲିଗ୍ରାମର ୧ଟି ଆଲ୍ବେଣ୍ଡାଜଲ ବଟିକା ଖାଇବେ । ୧୫ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ୧୦୦ମିଲିଗ୍ରାମର ୩ଟି ଡିଇସି ବଟିକା ଓ ୪୦୦ମିଲିଗ୍ରାମର ୧ଟି ଆଲ୍ବେଣ୍ଡାଜଲ ବଟିକା ଖାଇବେ । ଏହି ଫାଇଲେରିଆ ରୋଗ ପାଇଁ କୌଣସି ରକ୍ତ ପରୀକ୍ଷା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହା ରାତି ୮ଟା ୩୦ରୁ ୧୨ଟା ସମୟ ମଧ୍ୟରେ ରକ୍ତ ପରୀକ୍ଷା କଲେ ଫାଇଲେରିଆ ଜୀବାଣୁ ଜଣାପଡିଥାଏ । ମଶା କାମୁଡିବାର ୧ବର୍ଷ, ୫ବର୍ଷ, ୧୫-୨୦ବର୍ଷ ପରେ ଲକ୍ଷଣ ଦେଖାଦେଇଥାଏ । ଥରେ ଲକ୍ଷଣ ଦେଖାଦେଲେ ତାହା ଆଉ ଭଲ ହୁଏ ନାହିଁ । କିମ୍ବା ଏହାର କୌଣସି ପ୍ରତିକାର ନାହିଁ ।
ଏହି ଅବସରରେ ଜିଲ୍ଲାବାସୀଙ୍କୁ ଫାଇଲେରିଆ ବଟିକା ଖାଇ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡା. ସୁଜାତାରାଣୀ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରେମ୍, ରାଜ୍ୟ ପ୍ରଶିକ୍ଷଣ ପରାମର୍ଶ ଦାତା ଡା. ଅନୂପ କୁମାର ମିଶ୍ର, ଡିପିଏମ୍ ସୋନାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ତପନ କୁମାର ସାହୁ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ସୌମ୍ୟ ରଞ୍ଜନ ସାମନ୍ତରାୟଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ରହି ଫାଇଲେରିଆ ବଟିକା ସେବନ କରିଥିଲେ ।
ରିପୋର୍ଟ- ବିଜ୍ଞାନ ମହାନ୍ତି, ସହର, ଢେଙ୍କାନାଳ ।